କଂଗ୍ରେସ କନ୍ଦଳ
ନିର୍ବାଚନକୁ ଆଉ ୩ରୁ ୪ମାସ ବାକି ରହିଛି । ଏଭଳି ଏକ ସମୟରେ ରାଜ୍ୟ କଂଗ୍ରେସରେ ଇସ୍ତଫାର ଧାରା ଆରମ୍ଭ ହୋଇଯାଇଛି । କିଛି ନେତାଙ୍କୁ ଏଆଇସିସି ପକ୍ଷରୁ ମଧ୍ୟ ବହିଷ୍କାର କରାଯାଇଛି । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାପରେ ରାଜ୍ୟ କଂଗ୍ରେସରେ ସାଂଗଠନିକସ୍ତରରେ ଅନେକ ପରିବର୍ତ୍ତନ ହେବାରେ ଲାଗିଛି । ଅନେକ ନେତା କଂଗ୍ରେସ ସହଯୋଡି ହେବାରେ ଲାଗିଛନ୍ତି, ସେହିଭଳି ଅନେକ ନେତା ଦଳଠାରୁ ଦୁରେଇଯାଇଛନ୍ତି ।
କିଛି ସପ୍ତାହ ତଳେ ୩ ବିଧାୟକ ଇସ୍ତଫା ଦେବା ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଦଳ ବିରୋଧୀ କାମ ପାଇଁ ବହିଷ୍କାର କରାଯାଇଛି । ବିଜେପୁର ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିଥିବା ପ୍ରଣୟ ସାହୁ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କପରେ ଝାରସୁଗୁଡାର ପୂର୍ବତନ ବିଧାୟକ ନବ ଦାସ ନିଜ ଆଡୁ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ । ନିଜ ଇସ୍ତଫାପତ୍ର ରେ ସେ ଲେଖିଥିଲେ ଯେ ମୋ ନିର୍ବାଚନ ମଣ୍ଡଳୀର ଲୋକ ଚାହାନ୍ତି ମୁଁ ବିଜେଡ଼ି ରେ ଯୋଗ ଦେଏ । ଅନ୍ୟପଟେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ ଦଳ ବହିଷ୍କାର କରିବାର ୨୪ଘଣ୍ଟା ପରେ ସେ ନିଜ ଆଡୁ ଦଳରୁ ଇସ୍ତଫା ଦେବା ସହ ବିଜେଡ଼ିରେ ଯୋଗ ଦେଇଥିଲେ ।
କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କଂଗ୍ରେସରୁ ଇସ୍ତଫା ଦେଇ ବହୁଜନ ସମାଜବାଦୀ ଦଳରେ ଯୋଗ ଦେଇଛନ୍ତି ।ଶ୍ରୀକାନ୍ତ ଜେନା ନିଜ ବହିଷ୍କାର ପରେ କହିଥିଲେ ଆଗକୁ ସେ ମହାଖୁଲାସା କରିବେ, କିଭଳି କଂଗ୍ରେସରେ ଗୋଷ୍ଠୀକନ୍ଦଳ ଲାଗିରହିଛି ଯାହାରଫଳ ହେଉଛି କଂଗ୍ରେସର ପତନ । ରାଜ୍ୟରେ କଂଗ୍ରେସ ନେତୃତ୍ୱଙ୍କ ଦକ୍ଷତା ଓ ନିୟନ୍ତ୍ରଣକୁ ନେଇ ବାରମ୍ବାର ଉପୁଜିଥିବା ପ୍ରଶ୍ନ ଓ ଅବିଶ୍ୱାସରେ ସଦ୍ୟ କାର୍ଯ୍ୟାନୁଷ୍ଠାନ ପୂର୍ଣ୍ଣଛେଦ ପକାଇଛି । ଏହାସହ ଉପକୂଳ ଜିଲ୍ଲାର କିଛି ବିଧାୟକ ବହୁତଶୀଘ୍ର ବିଜେଡିକୁ ଯିବାକୁ ସଜବାଜ ହେଉଥିବା ଜଣାପଡିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ତୃଣମୂଳସ୍ତରରେ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ମତ ଦେଇଛନ୍ତି । ଏହାସହ ରାଜ୍ୟରାଜନୀତିର ଅନେକ ଚର୍ଚ୍ଚିତ ବ୍ୟକ୍ତି ଅତିଶୀଘ୍ର କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବିଜୟ ମହାପାତ୍ର, ଦିଲିପ ରାୟ ଯୋଗଦେବାର ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଦେଖିବାକୁ ବାକି ରହିଲା ରାଜ୍ୟରେ କଂଗ୍ରେସ ନିଜର ଏହି କଡା ଆଭିମୁଖ୍ୟ ନେଇ ଆଗକୁ ଯାଇପାରୁଛି ନା ଦଳର ସ୍ଥିତି ଆହୁରି ଶୋଚନୀୟ ହୋଇଯାଉଛି ।
Comments
Post a Comment