ଭିନ୍ନ ଏକ ମଣିଷ -ପ୍ରଫେସର ଆଦିତ୍ୟ ମହାନ୍ତି

ଢେଙ୍କାନାଳ: ଦିନେ ଜଣେ ମହିଳା ଆସି ତାଙ୍କ ଘରେ ଗୋଟେ ଛୋଟ ଛୁଆକୁ ଛାଡି କହିଲା- 'ସେ ଆପଣଙ୍କ ଘରେ କାମଦାମ କରିବ । ତାକୁ ଦି'ଓଳି ଦି'ମୁଠା ଖାଇବାକୁ ଦେବେ ଏବଂ ସେ ଆପଣଙ୍କ ପାଖରେ ରହିବ । ଛୋଟ ଝିଅର କୋମଳ ଚେହେରା ଏବଂ ତା ଭିତରେ ଥିବା ପ୍ରତିଭା ଯେମତି ଭାସିଆସିଲା ସେହି ବ୍ୟକ୍ତିଙ୍କ ଆଗରେ । ସେହି କୋମଳମତି ଶିଶୁର କାହାଣୀ ପ୍ରଚ୍ଛଦପଟରେ ସୃଷ୍ଟି ' ଆଦୃତା ଶିଶୁ ସଦନ ' । ଆଉ ତାକୁ ନିଜର ସନ୍ତାନ ଭାବରେ ଗ୍ରହଣ କରିଥିବା ବ୍ୟକ୍ତି ହେଇଛନ୍ତି ପ୍ରଫେସର ଆଦିତ୍ୟ ମହାନ୍ତି ।
   ଆଦୃତା ଶିଶୁ ସଦନ ଅବହେଳିତ, ନିର୍ଯାତିତ ଶିଶୁଙ୍କୁ ଆଣି ସେମାନଙ୍କୁ ପାଠ ପଢେଇବା ସହ ଖାଇବା ଓ ରହିବାର ସମସ୍ତ ବ୍ୟବସ୍ଥା କରୁଛି । ୧୯୯୮ ମସିହାରୁ ଖୋଲିଥିବା ଏହି ସଂସ୍ଥାର ମୁଖ୍ୟ ହେଉଛନ୍ତି ପ୍ରଫେସର ଆଦିତ୍ୟ ମହାନ୍ତି । ବର୍ତ୍ତମାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ , ତ୍ରିପୁରାରେ ଦର୍ଶନ ଶାସ୍ତ୍ର ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ । ନିଜ ଦରମାର ଅର୍ଦ୍ଧାଧିକ ସେ ଏହି ସଂସ୍ଥା କୁ ଦେଇଥାନ୍ତି । ଉତ୍କଳ ବିଶ୍ଵବିଦ୍ୟାଳୟରୁ ଶିକ୍ଷା ଶେଷ ପରେ ଏଠାରେ ଅଧ୍ୟାପନା କରନ୍ତି ସେ ।
    ସମାଜରେ ଶିଶୁମାନଙ୍କ ପାଇଁ କିଛି କରିବାର ମନୋବୃତ୍ତି ତାଙ୍କୁ ଆଗେଇ ନେଇଥିଲା ଏହି ପଥରେ । ସରକାରଙ୍କ ବିନା ସାହାର୍ଯ୍ୟ ଓ ସହଯୋଗରେ ପ୍ରାୟ ୪୫୦ ଶିଶୁଙ୍କ ସମସ୍ତ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ନିଜକୁ ସମର୍ପିତ କରିଛନ୍ତି । ୨୦୦୬ମସିହାରେ ଆଦୃତା ପରିବାରକୁ ଜାତୀୟ ପୁରସ୍କାର ମିଳିଛି । ଏହି ସଂସ୍ଥା ଏବେ ଭୁବନେଶ୍ୱର, ରାୟଗଡା, ବଲାଙ୍ଗୀର, ଅନୁଗୁଳ, ପୁରୀ, କେନ୍ଦୁଝର, ସୁନ୍ଦରଗଡ, ଢେଙ୍କାନାଳ ଏବଂ ମୟୁରଭଞ୍ଜ ଆଦି ୧୧ଟି ସ୍ଥାନ ରେ କାର୍ଯ୍ୟ କରିଛି । ଏହି ସଦନରେ ରହୁଥିବା ପୂର୍ଣ୍ଣିମା ଜଣେ ନାମକରା ଓଡିଶୀ ନୃତ୍ୟଶିଳ୍ପୀ ।ଏହାସହ ଢେଙ୍କାନାଳର ଦୁଇ ଭାଇ ଗୋପୀନାଥ ମୁଣ୍ଡା, ଶୁକ ମୁଣ୍ଡା ରାଜ୍ୟ ଚେସ ବିଜେତା । ଦେଶ ବିଦେଶର ବହୁ ସଙ୍ଗଠନ ସହାୟତାର ହାତ ବଢାଇଦେଇଛନ୍ତି ଏହି ଅନୁଷ୍ଠାନର ସଦସ୍ୟମାନେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରି ସମ୍ମାନିତ ହେଉଛନ୍ତି ।
ଏହି ଅନୁଷ୍ଠାନରେ ଅନେକ ସମସ୍ୟା ରହିଛି । କେତେବେଳେ ଅର୍ଥର ସମସ୍ୟା ତ ଆଉ କେତେବେଳେ ଛୋଟ କିଛି ସମସ୍ୟା, ହେଲେ  ଏଥିରେ ପ୍ରଫେସର ମହାନ୍ତି ବିଚଳିତ ହୋଇନାହାନ୍ତି ଦୃଢତାର ସହ ସବୁ ସାମ୍ନା କରିଛନ୍ତି । ଦର୍ଶନ ଶାସ୍ତ୍ର ରେ ପ୍ରାୟ ୧୦ରୁ ଅଧିକ ପୁସ୍ତକ ଲେଖିସାରିଛନ୍ତି । ସମାଜସେବା ପାଇଁ ୧୯୮୩ ମସିହାରେ ଜନସେବା ପୁରସ୍କାର, ୨୦୧୩ରେ ସମାଜରତ୍ନ ପୁରସ୍କାର ପାଇଛନ୍ତି । ରାବା ଏକାଡେ଼ମୀର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବରେ ମଧ୍ୟସେ କାର୍ଯ୍ୟ କରୁଛନ୍ତି ।
  ଉଭୟ ସମାଜସେବା ଏବଂ ଶିକ୍ଷାଦାନ କ୍ଷେତ୍ରରେ ଅଵଦାନ ରାଜ୍ୟ ତଥା ଦେଶରେ ସେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । ସେଇ ଛୋଟଛୋଟ ଶିଶୁଙ୍କୁ ଦେଖି ନିଜର ଶେଷ ଜୀବନ କାଟିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

  

Comments

Popular posts from this blog

ସମୟ ଆଉ ସମ୍ପର୍କ

ପଛରୁ ଛୁରୀ

ମୁଁ ଜାଣେ ମୁଁ କିଏ